
କୌଣସି ଏକ ବସ୍ତୁ ସ୍ୱ ସ୍ୱରୂପକୁ ବାଦ୍ ଦେଇ କେବେହେଲେ ନିଜର ଅସ୍ତିତ୍ୱ ରକ୍ଷା କରି ନ ପାରେ । ଦୁଃଖରୁ ନିବୃତ୍ତି ହିଁ ପ୍ରତ୍ୟେକଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ ଦୁଃଖ ସାଙ୍ଗରେ ବାସ୍ତବିକ ମନୁଷ୍ୟର କୌଣସି ସମ୍ବନ୍ଧ ନାହିଁ । ଦୁଃଖ ମନୁଷ୍ୟର ସ୍ୱଧର୍ମର ବିରୋଧୀ । ଏଥିରୁ ସ୍ପଷ୍ଟ ବୁଝାପଡେ ଯେ, ବସ୍ତୁତଃ ମନୁଷ୍ୟ ସୁଖସ୍ୱରୂପ । ସୁଖସ୍ୱରୂପ ହୋଇ ସୁଦ୍ଧା ଯଦି ମନୁଷ୍ୟ ସର୍ବଦା ସୁଖ ଲାଭ ପାଇଁ ବ୍ୟାକୁଳ ତା' ହେଲେ ତା'ର ଏହି ପରିସ୍ଥିତିର କାରଣ ହେଉଛି—ସେ ନିଜର ସ୍ୱରୂପ ସମ୍ବନ୍ଧରେ ଅଜ୍ଞ । ତେଣୁ ପ୍ରକାରାନ୍ତରେ ବିଚାର କଲେ ଦେଖାଯିବ ଯେ, ମନୁଷ୍ୟର ସମସ୍ତ ଚେଷ୍ଟା ତା'ର ସ୍ୱରୂପ ଲାଭ ପାଇଁ ହିଁ ଉଦ୍ଦିଷ୍ଟ, ଜ୍ଞାତସାରରେ ହେଉ ବା ଅଜ୍ଞାତ ଭାବରେ ହେଉ । ଆତ୍ମତତ୍ତ୍ୱ ସମ୍ବନ୍ଧରେ ଅଜ୍ଞାନ ହିଁ ତା'ର ହୃଦୟରେ ସଞ୍ଚାର କରେ ସୁଖୀ ହେବାର କାମନା ଓ ଏହି କାମନାକୁ ପୂର୍ଣ୍ଣ କରିବା ପାଇଁ ମନୁଷ୍ୟ ହୁଏ କର୍ମରତ । ତା'ର ପ୍ରତ୍ୟେକ କର୍ମର ଫଳ କିନ୍ତୁ ତାକୁ ସୁଖୀ କରିପାରେ ନାହିଁ । ତେଣୁ ସେ ହୁଏ ନିରାଶ ଓ ବ୍ୟାକୁଳ । ତା'ର ଜୀବନ ହୁଏ ଅପୂର୍ଣ୍ଣ, କ୍ଷତବିକ୍ଷତ ଓ ଜର୍ଜରିତ । ଏହିପରି ଆତ୍ମ-ଅଜ୍ଞାନରୂପ ସମସ୍ୟା ଦ୍ୱାରା ଆକ୍ରାନ୍ତ ଯେଉଁ ମନୁଷ୍ୟ, ତା' ପାଇଁ ତା ହେଲେ କ'ଣ କରାଯାଇପାରେ? ମନୁଷ୍ୟମାନଙ୍କ ମଧ୍ୟରୁ ସମସ୍ତେ ଏପରି ମୂର୍ଖ ନୁହନ୍ତି ବା ଅବିବେକୀ ନୁହନ୍ତି । ଅତି ଅଳ୍ପ କେତେ ଜଣ ବ୍ୟକ୍ତି ଏହି ଅଜ୍ଞାନ ଅନ୍ଧକାରାଚ୍ଛନ୍ନ ଅରଣ୍ୟରୁ ବାହାରି ବାସ୍ତବିକ ସୁଖର ଅନୁସନ୍ଧାନ କରିବା ସଙ୍ଗେ ସଙ୍ଗେ ଦୁଃଖର କାରଣ ଖୋଜି ବାହାର କରିବାରେ ବ୍ରତୀ ହୁଅନ୍ତି । ଏହିମାନେ ଆମର ସନାତନ ଧର୍ମ ପରମ୍ପରାରେ ଋଷି ମୁନି ରୂପେ ଖ୍ୟାତ । ଏମାନଙ୍କ ଦ୍ୱାରା ଆବିଷ୍କୃତ ଜୀବନର ତତ୍ତ୍ୱକୁ ଆତ୍ମତତ୍ତ୍ୱ ବୋଲି କୁହାଯାଏ । ମନୁଷ୍ୟର ସର୍ବପ୍ରଥମ ଶାସ୍ତ୍ର ବେଦର ଅନ୍ତିମ ଭାଗରେ ଜୀବନର ଏହି ତତ୍ତ୍ୱ ଆଲୋଚିତ । ବେଦସ୍ଥ ଏହି ଆତ୍ମ ବା ଜୀବନତତ୍ତ୍ୱକୁ ବେଦାନ୍ତ ବା ଉପନିଷଦ ବୋଲି ମଧ୍ୟ କୁହାଯାଏ । ତତ୍ତ୍ୱବୋଧ ଆଚାର୍ଯ୍ୟଙ୍କ ରଚିତ ଏକ ସାମାନ୍ୟ ପ୍ରକରଣ ଗ୍ରନ୍ଥ । ଗୁରୁ ଶିଷ୍ୟ ସମ୍ବାଦ (ପ୍ରଶ୍ନୋତ୍ତର) ଛଳରେ ରଚିତ ବେଦାନ୍ତ ଦର୍ଶନର ପରିଭାଷାମୂଳକ ଏହି ଗ୍ରନ୍ଥର ଅଧ୍ୟୟନ ଅତି ଗୁରୁତ୍ୱପୂର୍ଣ୍ଣ । ଏହାର ଅଧ୍ୟୟନ ଶ୍ରଦ୍ଧାଳୁ ଜିଜ୍ଞାସୁଙ୍କର ବହୁ ପ୍ରଶ୍ନର ସମାଧାନ କରି ତାଙ୍କର ଅନ୍ତଃକରଣକୁ ପବିତ୍ର ଓ ବେଦାନ୍ତ ତତ୍ତ୍ୱଦର୍ଶନ ପାଇଁ ପ୍ରସ୍ତୁତ କରିବାରେ ଅମୋଘ ଅସ୍ତ୍ର । ଶଙ୍କରାଚାର୍ଯ୍ୟ ଯେତେବେଳେ ଏହି ଗ୍ରନ୍ଥ ରଚନା କରିଥିଲେ ସେହି କାଳର ପରିସ୍ଥିତି ଓ ଏବେକାର ପରିସ୍ଥିତିର ମଧ୍ୟରେ ଆକାଶ ପାତାଳ ଭେଦ ରହିଛି । ଆଜି ସଂସ୍କୃତ ଭାଷା ଲୁପ୍ତପ୍ରାୟ । ତେଣୁ ସେଇ ସମୟରେ ଯାହା ଲୋକଙ୍କ ପକ୍ଷରେ ସହଜବୋଧ ବସ୍ତୁ ହୋଇଥିଲା ଆଜି ତାହା ଜନସାଧାରଣଙ୍କ ପକ୍ଷରେ ଦୁର୍ବୋଧ୍ୟ । ତେଣୁ ଆଜି ଏହାର ମଧ୍ୟ ଭାଷ୍ୟ (ବ୍ୟାଖ୍ୟା)ର ଆବଶ୍ୟକତା ରହିଛି । ଏହି ଆବ
Page Count:
96
Publication Date:
2022-09-01
No comments yet. Be the first to share your thoughts!